ପ୍ରାୟୋଜିତ, ମିଛ ଖବର ଗଣତନ୍ତ୍ର ଓ ନିର୍ବାଚନ ପାଇଁ ବିପଜ୍ଜନକ

0

ଭୁବନେଶ୍ୱର: ପ୍ରାୟୋଜିତ, ମିଛ ଏବଂ ଓ ଘୃଣ୍ୟ ଖବର ଗଣତନ୍ତ୍ର ପାଇଁ କ୍ଷତିକାରକ। ନିର୍ବାଚନକୁ ଏହା ସିଧାସଳଖ ପ୍ରଭାବିତ କରିଥାଏ। ତେଣୁ ସାମ୍ବାଦିକମାନେ ଏସବୁରୁ ଦୂରେଇ ରହିବା ସହିତ ଜନମତକୁ ବିଭ୍ରାନ୍ତ କରୁଥିବା ଶକ୍ତି ବିରୋଧରେ କଲମ ଚାଳନା କରିବା ଉଚିତ ବୋଲି ଏଠାରେ ଆୟୋଜିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି।
ଓଡ଼ିଶା ଇଲେକ୍ସନ ୱାଚ, ଏଡ଼ିଆର ଏବଂ ପିପୁଲ୍ସ କଲଚରାଲ ସେଣ୍ଟର(ପିକକ୍‍) ପକ୍ଷରୁ ଆୟୋଜିତ ମୁକ୍ତ, ଅବାଧ ନିର୍ବାଚନ ଓ ଚତୁର୍ଥ ସ୍ତମ୍ଭ ଶୀର୍ଷକ ଗଣମାଧ୍ୟମ କର୍ମଶାଳାରେ ଯୋଗଦେଇ ଆସୋସିଏସନ ଫର ଡ଼େମୋକ୍ରାଟିକ ରିଫର୍ମ୍ସ(ଏଡ଼ିଆର) ଟ୍ରଷ୍ଟି ତଥା ବରିଷ୍ଠ ସାମ୍ବାଦିକ ଡ.ବିପୁଲ ମୁଦ୍‍ଗଲ କହିଥିଲେ ଯେ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷରେ ନେବା ପାଇଁ ରାଜନୈତିକ ଦଳମାନେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏବେ ରାଜନୀତି ଗଣମାଧ୍ୟମକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି। ନେତା ବା ଦଳ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ପରିବର୍ତ୍ତେ ଟିଭି ଷ୍ଟୁଡ଼ିଓରେ ନିଜ ସପକ୍ଷରେ ଲୋକଙ୍କୁ ପ୍ରରୋଚିତ କରୁଛନ୍ତି। ଡିଜିଟାଲ ମାଧ୍ୟମରେ ଲୋକମତକୁ ମିଛସତର ଆଶ୍ରା ନିଆଯାଇ ବିଭ୍ରାନ୍ତ କରାଯାଉଛି। ସମସ୍ତେ ଗଣମାଧ୍ୟମକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ପେଡ(ପ୍ରାୟୋଜିତ) ଫେକ(ମିଛ) ଓ ହେଟ (ଘୃଣାସୂଚକ ଭାଷଣ) ଖବର ଭୟଙ୍କର ବିପଦ ଆଣିଛି। ଏଗୁଡ଼ିକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ପାଇଁ କ୍ଷତିକାରକ। ନିର୍ବାଚନ ସହିତ ଏହାର ସିଧାସଳଖ ସମ୍ପର୍କ ରହିଛି। ସାମ୍ବାଦିକ ସଂଘ, ପ୍ରେସ କ୍ଲବ ବିଶେଷ କରି ସବୁ ଗଣମାଧ୍ୟମ ଓ ସାମ୍ବାଦିକମାନେ ଗଣତାନ୍ତ୍ରିକ ଶକ୍ତି ଓ ନିର୍ବାଚନ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାର ଏସବୁ ଶକ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବା ଦରକାର।
ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆର.ଆୟାର ଖବର ପରିବେଷଣ ନେଇ ଗଣମାଧ୍ୟମ ପାଇଁ ୨୦୦୪ରେ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ନିର୍ବାଚନ କମିଶନ ଜାରି କରିଥିବା ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ। ଖବର ଉପରେ ନିର୍ବାଚନ କମିଶନଙ୍କ କଟକଣା କେବଳ ନିର୍ବାଚନ ସମୟ ପାଇଁ ଲାଗୁ ହୁଏନି ବରଂ ବର୍ଷ ସାରା ବଳବତ୍ତର ଥାଏ ବୋଲି କହିଥିଲେ। କୌଣସି ପ୍ରାର୍ଥୀ ବା ଦଳର ନିର୍ବାଚନ ପ୍ରଚାର ଓ ପୋଷ୍ଟର ମାରିବା ଆଦି କାର୍ଯ୍ୟ ନିର୍ବାଚନ କମିଶନଙ୍କ ନିୟମାବଳି ଆଧାରରେ କରାଯିବା ଉଚିତ। ଏହାକୁ ଉଲ୍ଲଘଂନ କଲେ ଜୋରିମାନା ଓ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଭୋଟର ସେମାନଙ୍କ ନାମ ପଞ୍ଜୀକରଣ ନିଶ୍ଚିତ କରିବା ସହିତ ବିନା ପ୍ରଲୋଭନରେ ଭୋଟ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ପ୍ରତିବର୍ଷ ସେପ୍‍ଟେମ୍ବରରୁ ଅକ୍ଟୋବର ଭିତରେ ଭୋଟର ତାଲିକା ସଂଶୋଧନ କରାଯାଉଛି। ୨୦୧୯ ନିର୍ବାଚନର ବର୍ଷ। ଏଥିପାଇଁ ନୂଆ ଭୋଟରଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ବଳବତ୍ତର ରହିଛି। ଆବେଦନର ତାରିଖକୁ ଆସନ୍ତା ନଭେମ୍ବର ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ ବୁଥ ପୁନର୍ଗଠନ ହୋଇଛି। ଗୋଟିଏ ବୁଥରେ ସର୍ବାଧିକ ୧୪୦୦ଭୋଟର ରହିବାର ବ୍ୟବସ୍ଥା ହୋଇଛି। ନିର୍ବାଚନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ସବୁବେଳେ ଉଦ୍ୟମ ଜାରି ରହିଛି ଏବଂ ଏଥିପାଇଁ ସର୍ବସାଧାରଣ ନିର୍ବାଚନ କମିଶନଙ୍କ ୱେବସାଇଟରେ ମତାମତ ରଖିପାରିବେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାର କରି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରାଜନୈତିକ ଦଳଗୁଡ଼ିକର ପ୍ରରୋଚନାରୁ ମୁକ୍ତ ରହିବା ସହିତ ଭୋଟରଙ୍କୁ ସଚେତନ କରାଇବା ଦିଗରେ ଖବର ପରିବେଷଣ ଉପରେ ଜୋର ଦେଇଥିଲେ। ଦୂରଦର୍ଶନର ପୂର୍ବତନ ନିର୍ଦେଶକ ତଥା ଓଇଡ଼ବ୍ଲୁର କୋର ଟିମ ସଦସ୍ୟ ବୈକୁଣ୍ଠନାଥ ପାଣିଗ୍ରାହୀ କହିଥିଲେ ଗଣମାଧ୍ୟମ ଏବେ ସବୁଠୁ ଶକ୍ତିଶାଳୀ ମାଧ୍ୟମ। ଭଲ ଲୋକଙ୍କୁ ଭୋଟ ଦେବା ଓ ନିଶ୍ଚିତ ଭୋଟ ଦେବା ଦିଗରେ ଗଣମାଧ୍ୟମ ହିଁ ଭୋଟରଙ୍କୁ ଚେତାଇ ଦେଇପାରିବ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ଅବସରରେ ଓଡ଼ିଶା ଇଲେକ୍ସନ ୱାଚର ସଂଯୋଜକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଆଗାମୀ ନିର୍ବାଚନ ପାଇଁ ବହୁ ସମସ୍ୟା ରହିଛି। ଅପରାଧ ପୃଷ୍ଠଭୂମି ଥିବା ଲୋକଙ୍କୁ ପ୍ରାର୍ଥୀ ନକରିବାକୁ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରାଜନୈତିକ ଦଳଗୁଡ଼ିକର ଦୃଷ୍ଟି ଆକର୍ଷଣ କରାଯାଉଛି। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ମୁକ୍ତ, ଅବାଧ ନିର୍ବାଚନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଭୋଟରଙ୍କୁ ସଚେତନ କରାଇବା ଦିଗରେ ଗଣମାଧ୍ୟମ ହେଉଛି ପରିବର୍ତ୍ତନର ବାର୍ତ୍ତାବହ ବୋଲି ସେ ମତ ରଖିଥିଲେ। ଏହି ଅବସରରେ ଗଣମାଧ୍ୟମର ନୈତିକଦାୟିତ୍ୱ ଓ ଉତ୍ତରଦାୟିତ୍ୱ ଏବଂ ମୁକ୍ତ ଅବାଧ ନିର୍ବାଚନ ଉପରେ ବିଭିନ୍ନ ଅଧିବେଶନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ମନୋରଞ୍ଜନ ମିଶ୍ର, ଅଶୋକ ପ୍ରଧାନ, ସନ୍ଦୀପ ସାହୁ, ପ୍ରିୟରଞ୍ଜନ ସାହୁ, ଯତୀନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ବି ସାମ୍ବାଦିକମାନେ ଖବର ପରିବେଷଣରେ ସ୍ୱଚ୍ଛତା ରକ୍ଷା କରିବା ଉପରେ ସେମାନେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଡ.ସେବା ମହାପାତ୍ର, କ୍ଷମାକର ସ୍ୱାଇଁ ପ୍ରମୁଖ ବହୁ ବକ୍ତବ୍ୟ ରଖିଥିଲେ। କର୍ମଶାଳାକୁ ଜ୍ୟୋତିଶଙ୍କର ମହାନ୍ତି, କାବ୍ୟ ସମ୍ବାଦ, ରତ୍ନା ଦାସ, ଗଣେଶ୍ୱର ସିଂହ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply