ଆନ୍ଦୋଳନରୁ ଓହରିଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ

0

କଟକ: ଆଇନଜୀବୀଙ୍କୁ ପୁଲିସର ମାଡ଼ ଅଭିଯୋଗ ପ୍ରତିବାଦରେ ରାଜ୍ୟ ବାପୀ ଚାଲୁଥିବା ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଏହି ଆନ୍ଦୋଳନରୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓହରିଯାଇଛି। ସାମ୍ମୁଖ୍ୟର ସମସ୍ତ ସଦସ୍ୟ କାର୍ଯ୍ୟରେ ଯୋଗଦେବା ପାଇଁ ଆଜି ନିବେଦନ କରାଯାଇଛି। ଆସନ୍ତା ୨୯ କିମ୍ବା ୩୦ରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଥିବା ନେଇ ସାମ୍ମୁଖ୍ୟ ଆବାହକ ମିଲନ କାନୁନଗୋ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ହାଇକୋର୍ଟ ବାର ଆସୋସିଏସନ ଉପ ସଭାପତି ବଂଶୀଧର ଶତପଥୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଶ୍ରୀ ଶତପଥୀଙ୍କ ଇସ୍ତାଫାକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ଦେଖାଯାଇଛି ଝଡ଼। ଏହି ଆନ୍ଦୋଳନରୁ ବିଜେଡି ସାମ୍ମୁଖ୍ୟ ଓହରିବା ପାଇଁ ଘୋଷଣା କରିବା, ଉପସଭାପତିଙ୍କ ଇସ୍ତଫାକୁ ନେଇ ଅପରାହ୍ଣଠାରୁ ଆଇନଜୀବୀଙ୍କ ମଧ୍ୟରେ ଚାଲିଥିଲା ବିଚାରବିମର୍ଶ। ହାଇକୋର୍ଟ ବାର ଆସୋସିଏସନ ପରିସରରେ ଚାଲିଥିଲା ଜୋରଦାର ଆଲୋଚନା। ଏହାପରେ ଆଇନଜୀବୀମାନେ ବାର ସାମ୍ନାରେ ପହଞ୍ଚି ସମ୍ବାଦିକ ସମ୍ମିଳନୀ କରିଥିବା ଆୟୋଜକଙ୍କ ବିରୋଧରେ ଦେଇଥିଲେ ହାଏ-ହାଏ ସ୍ଲୋଗାନ। ଗତକାଲି ହାଇକୋର୍ଟ ବାର ଆସୋସିଏସନ ପରିସରରେ ପରିଷଦ
ବୈଠକ ବସିଥିଲା। ଏହି ବୈଠକରେ ଯାହା ସବୁ ଆଲୋଚନା ହୋଇଥିଲା ତାହା ସ୍ଥାନ ବିବରଣୀରେ ପାଇବା କଥା। ମାତ୍ର ଦୁର୍ଭାଗ୍ୟର କଥା ପ୍ରସ୍ତାବଗୁଡିକକୁ ବିଧିବଦ୍ଧ ଭାବେ ଉଲ୍ଲେଖ କରା ନ ଯାଇ ସଂପାଦକ ମନଇଚ୍ଛା ରିଜୋଲ୍ୟୁସନରେ ପ୍ରସ୍ତୁତ କରି ଗଣମାଧ୍ୟମକୁ ପ୍ରଦାନ କଲେ। ତାହା ଭ୍ରମାତ୍ମକ ବୋଲି
ଉପସଭାପତି ବଂଶୀଧର ଶତପଥୀ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ହାଇକୋର୍ଟ ବାର ନିଷ୍ପତ୍ତିକୁ ନେଇ ସମଗ୍ର ରାଜ୍ୟରେ ଥିବା ବାର ଆସୋସିଏସନ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଯାଇଛି। ନବୀନ ନିବାସ ଘେରାଉ କରିବା ଓ ନବୀନ ପଟ୍ଟନାୟକ କୁଶପୁତ୍ତଳିକା ଦାହ ପାଇଁ ବୈଠକରେ ଆଲୋଚନା ହୋଇଥିଲେ ହେଁ ଚୂଡାନ୍ତ ହୋଇ ନ ଥିଲା। ଆସନ୍ତା ୩୦ତାରିଖ ବୈଠକରେ ଏ ନେଇ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତାବ ରହିଥିଲା ବୋଲି ଉପସଭାପତି କହିଛନ୍ତି। ତେବେ ସଂପାଦକଙ୍କ ବିବୃତି ଅତ୍ୟନ୍ତ ମିଥ୍ୟା ଓ ଗଣମାଧ୍ୟମରେ ଏପରି ବିବୃତ୍ତି ଦେବା ବିଭ୍ରାନ୍ତିଜନକ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି। ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଉପସଭାପତି କହିଛନ୍ତି। ପୂର୍ବରୁ ହୋଇଥିବା ବାର ବୈଠକରେ ଅନେକ ଘଟଣା ଘଟିଛି; କିନ୍ତୁ ମୋର ନଜରକୁ ଅଣାଯାଇନାହିଁ। ତେଣୁ ମୋ ପଦରେ ରହିବା ସମୀଚୀନ ନୁହେଁ। ସେଥିପାଇଁ ନୈତିକତା ଦୃଷ୍ଟିରୁ ସଭାପତିଙ୍କ ନିିକଟକୁ ଇସ୍ତଫା ପଠାଇଥିବା ସେ ସୂଚନା ଦେଇଥିଲେ।
ସେହିପରି ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଆବାହକ ମିଲନ କାନୁନଗୋ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଗିରଫ କରାଗଲେ ଆନ୍ଦୋଳନ ପ୍ରତ୍ୟାହାର ହେବ। ଆଇନଜୀବୀଙ୍କ ଏପରି ଦାବି ଅନୁସାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ପୁଲିସ ଏ କଥା ମଧ୍ୟ କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲା; ମାତ୍ର ବୈଠକରେ ଏ ନେଇ କୌଣସି ଆଲୋଚନା ହୋଇ ନ ଥିଲା। ଏ ନେଇ ସାଧାରଣ ପରିଷଦ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ତାର ସଠିକ ଉତ୍ତର ମିଳି ନ ଥିଲା। ସେହିପରି ଏହି ଘଟଣାରେ ୪ଟି ମାମଲା ଦାୟର ହୋଇଥିଲା। ହାଇକୋର୍ଟ ମାମଲାକୁ ଗ୍ରହଣ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ; କିନ୍ତୁ କୋର୍ଟଙ୍କ ଅନୁରୋଧକୁ ରକ୍ଷା କରାଗଲାନାହିଁ। ଆନ୍ଦୋଳନ ଜାରି ରହିବା ଫଳରେ ସାଧାରଣ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ କୋର୍ଟ କାର୍ଯ୍ୟରେ ଯୋଗଦେବା ପାଇଁ ଆଇନଜୀବୀମାନଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅସିମ ଅମିତାଭ ଦାଶ, ଡକ୍ଟର ଟହଲି ଚରଣ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଉପସଭାପତିଙ୍କ ଅଭିଯୋଗ ଉପରେ ହାଇକୋର୍ଟ ବାର ସଂପାଦକ ସତ୍ୟବ୍ରତ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଉପସଭାପତି ଶ୍ରୀ ଶତପଥୀ ମୋତେ କିଛି ଜଣାଇନାହାନ୍ତି, ସ୍ୱଇଚ୍ଛାରେ ସେ ପ୍ରସ୍ତାବରେ ଦସ୍ତଖତ କରିଛନ୍ତି। ସରକାରୀ ଚାକିରି ବଞ୍ଚାଇବା ପାଇଁ ସେ ଏପରି ଅଭିଯୋଗ ଆଣିଥିବା ସଂପାଦକ କହିଛନ୍ତି।
ଆସନ୍ତାକାଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଏକ ବୈଠକ ବସିବା ପାଇଁ ଧାର୍ଯ୍ୟ ହୋଇଥିବାବେଳେ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଗଠିତ ଷ୍ଟିଅରିଂ କମିଟିର ସଦସ୍ୟମାନେ ପରିଷଦର ସଦସ୍ୟମାନଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନଜୀବୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିବା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି। ଅନ୍ୟପକ୍ଷରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସାମ୍ବାଦିକ ସମ୍ମିଳନୀ ପରେ ଶତାଧିକ ଆଇନଜୀବୀ ହାଇକୋର୍ଟ ବାର୍‍ ଆସୋସିଏସନ ପରିସରରେ ପହଞ୍ଚିଥିଲେ। ଆଇନଜୀବୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥି ସହିତ ହାଇକୋର୍ଟ ବାର୍‍ ଆସୋସିଏସନ୍‍ ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆକ୍ସନ କମିଟିର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବାର୍‍ ଯୁଗ୍ମ ସଂପାଦକ ରଞ୍ଜନ ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ହାଇକୋର୍ଟ ବାର ପୂର୍ବତନ ସଂପାଦକ ବିଜୟ କୁମାର ରଗଡ, ପୀୟୁଷ ମହାନ୍ତି, ପୂର୍ବତନ ଉପ ସଭାପତି ମିଲନ ବଡୁ, ହେମନ୍ତ ମହାନ୍ତି, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର୍‍ ଉପ ସଭାପତି କୃପାସିନ୍ଧୁ ସାହୁ, ସଂପାଦକ ନରେଶ ଚନ୍ଦ୍ର ଜେନା, ଯୁଗ୍ମ ସଂପାଦକ ଦିଲ୍ଲୀପ ମହାପାତ୍ର, କ୍ରିମିନାଲ କୋର୍ଟସ୍‍ ବାର୍‍ ଆସୋସିଏସନ୍‍ ସଭାପତି ଅକ୍ଷୟ ପତି, ସଂପାଦକ ପ୍ରଦୀପ ପରିଡା, ପୂର୍ବତନ ସଂପାଦକ ସୁବାସ ମହାନ୍ତି, ବିକାଶ ବିଶ୍ୱାଳ, କାମଦେବ କାନୁନଗୋ, ରାକେଶ ମଲ୍ଲିକ, ଗଙ୍ଗାଧର ସାମଲଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

Leave A Reply